ରୂପକ
(Rupaka Alankar)
ଉପମାଳଙ୍କାରରେ ଉପମାନ ଉପମେୟ ସାଦୃଶ୍ୟ ବର୍ଣ୍ଣନା କରାଯାଇଥାଏ । ରୂପକ ଅଳଙ୍କାରରେ ଉପମାନ ଓ ଉପମେୟର ଅଭେଦ କଳ୍ପନା କରାଯାଇଥାଏ ।
ସାଧାରଣତଃ ଏହା ତିନିପ୍ରକାର ।
(୧) ପରମ୍ପରିତ ରୂପକ, (୨) ସାରଙ୍ଗ ରୂପକ, (୩) ନିରଙ୍ଗ ରୂପକ ।
ପରମ୍ପରିତ ରୂପକ ¬– ଯେଉଁଠାରେ ଗୋଟିଏ ଆରୋପ ଆଉ ଏକ ଆରୋପର କାରଣ ହୋଇଥାଏ, ସେଠାରେ ପରମ୍ପରିତ ରୂପକ ହୁଏ ।ଯଥା –
ଦରିଦ୍ରତା-ପଙ୍କପୂର୍ଣ୍ଣ ମୋ ଜୀବନ-ସର
ଜଞ୍ଜାଳ-ଜଳଦ-ଜଳେ- ଆବିକ ଉଦର ।
ଏହି ପଦରେ ‘ଦରିଦ୍ରତା’ରେ ‘ପଙ୍କ’ର ଆରୋପଣ ହେତୁ ‘ଜୀବନ’ ଓ ‘ଜଞ୍ଜାଳ’ରେ ଯଥାକ୍ରମେ ‘ସର’, ‘ଜଳଦ-ଜଳ’ର ଆରୋପ କରାଯାଇଛି ।
କବିତା ବନିତା କବି ତା’ ପିତା
କହିବା ଲୋକ ତାର ଉପମାତା
କଲେ ତାକୁ ଭୋଗ ରସିକ ନେତା
କେତେହିଁ ଅବା ରହଲ ଯୋଗତ୍ୟା
କୁମତି ଗୁଆଁର
କେବଳ ବଇମାତ୍ର ଭାଇ ତାର ।। (ରସକଲ୍ଲୋକ – ଦୀନକୃଷ୍ଣ ଦାସ)
ଏଠାରେ କବିତା ଠାରେ ବନିତା, କବିଙ୍କଠାରେ ପିତା କହିବା ଲୋକଠାରେ ଉପମାତା, ଗୁଆଁରଠାରେ ବୈମାତ୍ରେୟ ଭାଇର ଆରୋପ କରାଯାଇଛି ।
କଳୁଷ¬-ପଙ୍କେ ମୁହିଁ କେଡେ ମଳିନ
କେମନ୍ତେ ସରିତୋର ହେବି ନଳିମ ।। (ପଦ୍ମ –ଭକ୍ତକବି ମଧୂସୂଦନ)
ଏଠାରେ କଳୁଷ ଓ ପଙ୍କ ମଧ୍ୟରେ ଅଭେଦ କଳ୍ପନା କରାଯାଇଛି ଏବଂ କଳୁଷ ଯାହା ପଙ୍କ ତାହାବୋଲି କୁହାଯାଇଛି । ଅର୍ଥାତ କଳୁଷ ଓ ପଙ୍କ ମଧ୍ୟରେ କୌଣସି ଭେଦନାହିଁ – ଦୁହେଁ ଏକ ବସ୍ତୁ ବୋଲି କଳ୍ପମା କରାଯାଇଛି ।
ବିସ୍ମୟ – ଜୀମୂତ ବ୍ୟାପିଗଲା ତା’ର
ସହସା ହୃଦ ଗଗନେ । (ପ୍ରଣୟବଲ୍ଲରୀ)
ଏଠାରେ ବିସ୍ମୟକୁ ମେଘ ବୋଲି ଅଭେଦ କଳ୍ପନା କରିବା ହେତୁ ହୃଦୟକୁ ଆକାଶ ବୋଲି କଳ୍ପନା କରାଯାଇଛି। ଅତଏବ ବିସ୍ମୟରେ ମେଘର ଆରୋପ, ହୃଦୟରେ ମେଘର ଆରୋପ, ହୃଦୟରେ ଆକାଶଆରୋପର କାରଣ ହୋଇଛି ।
ସାଙ୍ଗରୂପକ – ବିଭିନ୍ନ ଅଙ୍ଗବିଶିଷ୍ଟ ଉପମେୟରେ ବିଭିନ୍ନ ଅଙ୍ଗବିଶିଷ୍ଟ ଉପମାନର ଆରୋପ ହେଲେ ସାଙ୍ଗ ରୂପକ ହୁଏ । ଯଥା –
ଖଡ଼ଗ ତଲବାର ଚପଳା ଝଲକେ
ସ୍ପନ୍ଦିତ ଗଜ ଗର୍ଜନ
ପତାକା ଉଡଡୀନ ବକପନ୍ତି ସେନା
ତର୍ଜନ ଡାହୁକ ସ୍ଵନ ।
କେତକୀ ଶାଶିତ କରବାଳ ପୁତ୍ରୀ
ଧନୁ ଇନ୍ଦ୍ର ଶରାସନ,
ଘେନି ଅଜଭାନୁ - ଗ୍ରାସ ଲାଳସରେ
ଧାଇଁଛନ୍ତି ସୈନ୍ୟ ଘନ । (ଇନ୍ଦୁମତୀ)
ଏହା ଅଜଙ୍କ ସହିତ ସୈନ୍ୟମାନଙ୍କ ଯୁଦ୍ଧର ବର୍ଣ୍ଣନା । ଏଥିରେ ଶତୃ ସୈନ୍ୟମାନଙ୍କୁ ମେଘ ବୋଲି ଅଭେଦ କଳ୍ପନା କରାଯାଇଛି । ବିଜୁଳି, ବକପନ୍ତି, ଘଡଘଡି, ଡାହୁକସ୍ଵନ, କେତକୀପୁଷ୍ପ, ଇନ୍ଦ୍ରଧନୁ, ସୂର୍ଯ୍ୟ – ଏ ସମସ୍ତ ମେଘ ସମ୍ବନ୍ଧୀୟ । ଖଡଗ, ତଲବାର, ଗଜଗର୍ଜନ, ପତାକା ସୈନ୍ୟମାନଙ୍କ ରଡି, ଗାଣିତ ଛୁରୀ, ଧନୁ, ଅଜ ¬– ଏ ସମସ୍ତ ସୈନ୍ୟମାନଙ୍କ ସମ୍ବନ୍ଧୀ । ଏହିପରି ପରସ୍ପର ସଂପୃକ୍ତ ଉପମେୟରେ ପରସ୍ପର ସଂପୃକ୍ତ ଉପମାନର ଆରୋପ ହୋଇଥିବାରୁ ସାଙ୍ଗରୂପକ ହୋଇଛି ।
ଆରୋପଣଟି - ଖଡ୍ଗ, ତଲବାର - ବିଜୁଳି
ହସ୍ତୀଗର୍ଜନ - ଘଡ଼ଘଡ଼ି
ପତାକା - ବକପନ୍ତି ଇତ୍ୟାଦି ।
ନିରଙ୍ଗରୂପକ – ନିରପେକ୍ଷ ଭାବରେ ଏକମାତ୍ର ଆରୋପ ସ୍ଥଳରେ ନିରଙ୍ଗ ରୂପକ ହୁଏ । ଯେପରି –
ପ୍ରେମିକନୟନ ସାରଦରପଣ
ଅନ୍ତର ପରୀକ୍ଷା ପାଇଁ,
ନାହିଁ ଯେବେ ପ୍ରେମ ହୃଦ ଅଭ୍ୟନ୍ତରେ
ଛାୟା ବା ପଡ଼ିବ ନାହିଁ ।
ଏଠାରେ ସ୍ଵତନ୍ତ୍ର ଭାବରେ ପ୍ରେମିକ ନୟନ ହିଁ ସାରଦର୍ପଣ ବୋଲି କେବଳ ଗୋଟିଏ ମାତ୍ର ଆରୋପ ବର୍ଣ୍ଣିତ ହୋଇଥିବାରୁ ନିରଙ୍ଗରୂପକାଳଙ୍କାର ହୋଇଛି ।
No comments:
Post a Comment